ଜିଓର ତ୍ରୈମାସିକ ନେଟ ଲାଭ ୨୩.୪ ପ୍ରତିଶତ ବୃଦ୍ଧି ସହ ରେକର୍ଡ ୬୫୩୯ କୋଟି ଟଙ୍କା

ମୁମ୍ବାଇ / ଭୁବନେଶ୍ୱର: ଦେଶର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଚଳିତ ଆର୍ଥିକବର୍ଷର ଦ୍ଵିତୀୟ ତ୍ରୟମାସ ପାଇଁ କମ୍ପାନୀର ପରିଚାଳନାଗତ ଏବଂ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଡିଜିଟାଲ କ୍ଷେତ୍ରରେ କମ୍ପାନୀ ଜୁଲାଇରୁ ସେପ୍ଟେମ୍ବର ଯାଏଁ ରହିଥିବା ଏହି ତ୍ରୟମାସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଜିଓ ପ୍ଲାଟଫର୍ମସର ନେଟ ଲାଭ ପୂର୍ବ ବର୍ଷ ସମାନ ତ୍ରୟମାସ ତୁଳନାରେ ଏହି ତ୍ରୟମାସରେ ୨୩.୪ ପ୍ରତିଶତ ବୃଦ୍ଧି ସହିତ ରେକର୍ଡ ୬୫୩୯ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଜିଓ ପ୍ଲାଟଫର୍ମସର ତ୍ରୈମାସିକ ମୋଟ ରାଜସ୍ୱ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୭.୭ ପ୍ରତିଶତ ବୃଦ୍ଧି ପାଇ ୩୭୧୧୯ କୋଟି ଟଙ୍କା ହୋଇଛି ।

ଏହି ତ୍ରୟମାସରେ ଜିଓର ଗ୍ରାହକ ସଂଖ୍ୟାରେ ପୂର୍ଵ ବର୍ଷ ସମାନ ସମୟ ତୁଳନାରେ ୪.୨ ପ୍ରତିଶତ ବୃଦ୍ଧି ସହିତ ସେପ୍ଟେମ୍ବର ଶେଷ ସୁଦ୍ଧା ଜିଓର ମୋଟ ଗ୍ରାହକ ସଂଖ୍ୟା ୪୭.୮୮ କୋଟି ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ୧୪.୮ କୋଟି ଜିଓ ୫ଜି ନେଟୱାର୍କ ଆପଣାଇବା ସହିତ ୫ଜି କ୍ଷେତ୍ରରେ ଜିଓ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ କରିଛି । ଏହି ତ୍ରୟମାସରେ ଜିଓ ନେଟୱର୍କରେ ଡାଟା ଟ୍ରାଫିକ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୨୪ ପ୍ରତିଶତ ବୃଦ୍ଧି ପାଇ ୪୫ ବିଲିୟନ ଜିବି ହୋଇଥିବା ବେଳେ ଭଏସ ଟ୍ରାଫିକ ୬.୪ ପ୍ରତିଶତ ବୃଦ୍ଧି ସହିତ ୧.୪୨ ଟ୍ରିଲିୟନ ମିନିଟ ରହିଥିବା ଜଣାପଡିଛି । ୫ଜି ଏବଂ ଗୃହ ବ୍ରଡ଼ବ୍ୟାଣ୍ଡ ଉପଭୋକ୍ତା ସଂଖ୍ୟାରେ ବୃଦ୍ଧି ସହିତ ଗ୍ରାହକ ପ୍ରତି ମାସିକ ଡାଟା ବ୍ୟବହାର ୩୧ ଜିବିକୁ ବୃଦ୍ଧି ପାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ତ୍ରୟମାସରେ ଜିଓ ୨.୮ ନିୟୁତରୁ ଉର୍ଦ୍ଧ୍ବ ଜିଓ ଏୟାର ଫାଇବର ଗ୍ରାହକଙ୍କ ସହିତ ବିଶ୍ୱର ଦୁତତମ ଅଭିବୃଦ୍ଧିଶୀଳ ଫିକ୍ସଡ ୱେରଲେସ ଅପରେଟର ହୋଇଛି । ଜିଓର ପ୍ରତି ଗ୍ରାହକ ପିଛା ମାସିକ ରାଜସ୍ବ ୧୯୫.୧ ଟଙ୍କାକୁ ବୃଦ୍ଧି ପାଇଛି ।

ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ରାଜସ୍ୱ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ସାମାନ୍ୟ ବୃଦ୍ଧି ସହିତ ୨୫୮୦୨୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ସେହିଭଳି ରିଲାଏନ୍ସ ରିଟେଲ ର ତ୍ରୈମାସିକ ମୋଟ ରାଜସ୍ୱ ୭୬୩୦୨ କୋଟି ଟଙ୍କା ରହିଥିବା ବେଳେ ତୈଳ, ରସାୟନ ଏବଂ ଉତ୍ତୋଳନ କ୍ଷେତ୍ରର ମୋଟ ରାଜସ୍ୱ ପୂର୍ବ ବର୍ଷ ତୁଳନାରେ ୫.୧ ପ୍ରତିଶତ ବୃଦ୍ଧି ପାଇ ୧୫୫୫୮୦ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ତ୍ରୟମାସରେ ରିଲାଏନ୍ସ ରିଟେଲ ୪୬୪ ନୂଆ ଷ୍ଟୋର ଖୋଲିବା ସହିତ କମ୍ପାନୀର ମୋଟ ଷ୍ଟୋର ସଂଖ୍ୟା ସେପ୍ଟେମ୍ବର ଶେଷ ସୁଦ୍ଧା ୧୮୯୪୬ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *