ଫ୍ରାନ୍ସ ପୋଲିସ ଅଲିମ୍ପିକ୍ସ ପୂର୍ବରୁ ଶରଣାର୍ଥୀଙ୍କୁ ବିଦାକଲା

ପ୍ୟାରିସ୍‌: ଅନେକ ହଜାର ଶରଣାର୍ଥୀ ନିଜ ଆସବାବପତ୍ର ଓ ପିଲାଙ୍କୁ ଧରି ପ୍ୟାରିସ୍‌ ରାସ୍ତାକଡ଼ରେ ଶୋଇଥିଲେ। ଅଲିମ୍ପିକ୍ସ ଗେମ୍ସର ଉଦ୍‌ଘାଟନୀ ସମାରୋହ ପୂର୍ବରୁ ଫ୍ରାନ୍ସ ପୋଲିସ ସେମାନଙ୍କୁ ସମ୍ପୃକ୍ତ ଅଞ୍ଚଳରୁ ଘଉଡ଼ାଇଦେଇଛି। ତଡ଼ା ଖାଇଥିବା ଶରଣାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଫ୍ରିକୀୟ। ଫ୍ରାନ୍ସର ଇମାନ୍ବେଲ ମାକ୍‌ରଁ ସରକାର ସେମାନଙ୍କୁ ବସ୍‌ ଭଡ଼ା ଦେଇ ଅନ୍ୟତ୍ର ପଠାଇଦେଇଛନ୍ତି। ଖେଳ ଶେଷ ହେବା ପର୍ଯ୍ୟନ୍ତ ସେଠାକୁ ନ ଆସିବା ପାଇଁ ବାରଣ କରାଯାଇଛି। ବାସହରା ହୋଇ ପ୍ୟାରିସ୍‌ ରାସ୍ତାକଡ଼ରେ ଜୀବନ ବିତାଉଥିବା ୪୭ ବର୍ଷୀୟା ନିକ୍କି କହିଛନ୍ତି, କୁଆଡ଼େ ଯିବି ଜାଣିନାହିଁ। ସମ୍ଭବତଃ ଏଠାକୁ ଆଉ ଫେରିବାର ନାହିଁ। କାରଣ ପୋଲିସ ଫେରିବାକୁ ଦେବନାହିଁ। ଆକ୍ଟିଭିଷ୍ଟ ଗ୍ରୁପ୍‌ ‘ୟୁଟୋପିଆ ୫୬’ର ନାଥନ୍‌ ଲେକ୍ୟୁ କହିଛନ୍ତି, ଏହି ଗ୍ଲୋବାଲ ଇଭେଣ୍ଟରେ ଯୋଗଦେବାକୁ ଥିବା ପର୍ଯ୍ୟଟକମାନଙ୍କ ପାଇଁ ସେମାନେ ପ୍ୟାରିସ୍‌କୁ ସଫା କରୁଛନ୍ତି। ତେବେ ବାସହୀନ ଶରଣାର୍ଥୀମାନଙ୍କ ପ୍ରତି ସେମାନଙ୍କ ଦୁର୍ବ୍ୟବହାର ଅତ୍ୟନ୍ତ ଯନ୍ତ୍ରଣାଦାୟକ।

Leave a Reply

Your email address will not be published. Required fields are marked *