ବଜ୍ରପାତରୁ ରକ୍ଷା

ପାଖାପାଖି ଦୁଇ ତିନି ଦଶନ୍ଧି ପୂର୍ବେ ବର୍ଷାକୁ ଲୋକେ ଚାହଁି ରହୁଥିଲେ। ସେତେବେଳେ ବଜ୍ରପାତ ଅଧିକ ହେଉ ନ ଥିଲା। କୃଷକମାନେ ବିଲରେ କାମ କରୁଥିବାବେଳେ କାଁ ଭାଁ ବଜ୍ରପାତରେ ମୃତ୍ୟୁମୁଖରେ ପଡ଼ୁଥିଲେ। ସେହି ସମୟରେ ତାଳ, ନଡ଼ିଆ ଭଳି ଉଚ୍ଚ ଗଛରେ ବଜ୍ରପାତ ବେଶି ଘଟୁଥିଲା। କିନ୍ତୁ ଏବକାର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଉଚ୍ଚ ଗଛ ନଥିବା ବେଳକୁ ବ୍ରଜପାତ ବିପଦ ବଢ଼ିଗଲାଣି। ସେଥିପାଇଁ ବର୍ଷାରେ ଏବେ ବାହାରିବାକୁ ଅନେକେ ଭୟ କରୁଛନ୍ତି। ଏହା ବ୍ୟତୀତ ଘରେ ରହିବା ମଧ୍ୟ ଅସୁରକ୍ଷିତ ହୋଇପଡ଼ିଲାଣି। ଏହାର ସଦ୍ୟତମ ଉଦାହରଣ ହେଉଛି ଅଗଷ୍ଟ ୫ ଅପରାହ୍ନରେ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ରେଣ୍ଟାଲ କଲୋନୀ ହାଇସ୍କୁଲରେ ହୋଇଥିବା ବଜ୍ରପାତ। ଏହି ଘଟଣାରେ ୭ ଜଣ ଛାତ୍ରୀଛାତ୍ର ଆହତ ହୋଇଥିଲେ। ସେହିଭଳି ଗତ ବର୍ଷ କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ଅଧୀନ କୁଦନଗରୀ ହାଇସ୍କୁଲ ପରିସରରେ ଅସ୍ଥାୟୀ ଭାବେ ଚାଲୁଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟରେ ବଜ୍ରପାତ ଯୋଗୁ ୧୬ ଛାତ୍ରୀଛାତ୍ର ଆହତ ହୋଇଥିଲେ। ପରିବର୍ତ୍ତିତ ଜଳବାୟୁ ଯୋଗୁ ବ୍ରଜପାତ ତୀବ୍ରତା ବଢୁଥିବାରୁ ଏଥିରୁ ସ୍କୁଲକୁ ସୁରକ୍ଷା ଦେବା ଅତି ଜରୁରୀ ହୋଇପଡ଼ିଲାଣି। ଉଲ୍ଲେଖଯୋଗ୍ୟ ଯେ, ବଜ୍ରପାତର ଗମ୍ଭୀରତାକୁ ଲକ୍ଷ୍ୟକରି ୨୦୨୩ରେ ସରକାର ସବୁ ସ୍କୁଲରେ ଲାଇଟିଂ ଆରେଷ୍ଟର ବା ବଜ୍ରପାତ ପ୍ରତିରୋଧୀ ବ୍ୟବସ୍ଥା ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା କେତେ ପରିମାଣରେ କାର୍ଯ୍ୟକାରୀ ହୋଇଛି ତାହାର ଏଯାବତ କୌଣସି ତଥ୍ୟ ଜାଣିବାକୁ ମିଳେନାହିଁ। ତେବେ ବରମୁଣ୍ଡା ରେଣ୍ଟାଲ କଲୋନୀ ହାଇସ୍କୁଲରେ ବଜ୍ରପାତ ପ୍ରତିରୋଧୀ ବ୍ୟବସ୍ଥା ଥାଇ ମଧ୍ୟ ପିଲାମାନେ ଆହତ ହୋଇଛନ୍ତି। ଏହା ବଜ୍ରପାତ ପ୍ରତିରୋଧୀ ବ୍ୟବସ୍ଥାର ତ୍ରୁଟି କିମ୍ବା ଘର ନିର୍ମାଣର ତ୍ରୁଟି ତାହା ଅନୁସନ୍ଧାନ ସାପେକ୍ଷ। ଦେଖିବାକୁ ଗଲେ ଗତ ପାଞ୍ଚ ବର୍ଷରେ ରାଜ୍ୟରେ ବଜ୍ରପାତରେ ୧,୪୭୨ ଜଣଙ୍କ ମୃତ୍ୟୁ ହେବା ସହ ୧୪୫ଜଣ ଆହତ ହୋଇଥିବା ଚଳିତ ବର୍ଷ ଫେବୃଆରୀରେ ବିଧାନ ସଭାରେ ସରକାର ପ୍ରକାଶ କରିଥିଲେ। ଏଭଳି ଘଟଣା କାହିଁକି ବୃଦ୍ଧି ପାଉଛି ତାହା କେହି ଅନୁସନ୍ଧାନ କଲାଭଳି ମନେ ହେଉନାହିଁ।
ପୂର୍ବରୁ ବଜ୍ରପାତ ହେଉଥିଲା, କିନ୍ତୁ ତାହା ଦ୍ୱାରା ମଣିଷଙ୍କୁ ଆଘାତ ଲାଗିବାର କ୍ୱଚିତ୍‌ ସୂଚନା ମିଳୁଥିଲା। ଏଥିରୁ ବୁଝାଯାଇପାରେ ଯେ, ପୂର୍ବରୁ ମଣିଷ ଏଭଳି କିଛି କାର୍ଯ୍ୟ ହୁଏତ କରୁ ନ ଥିଲା, ଯେଉଁଥିରେ ତାହାର ଶରୀର ବଜ୍ରପାତ ପାଇଁ ‘ଆର୍ଥିଂ’ ଭାବେ ପାଲଟୁଥିଲା। କୃଷକମାନେ କ୍ଷେତରେ କାମ କରିବା ସମୟରେ ବାଉଁଶ ଓ ତାଳପତ୍ର ବରଡ଼ାରେ ନିର୍ମିତ ଟୋପି କିମ୍ବା ପଖିଆ ବ୍ୟବହାର କରୁଥିଲେ। କାଠ ବେଣ୍ଟ ଛତା ଧରି ଲୋକେ ବାହାରକୁ ଯାଉଥିଲେ। ଏହା ଏବେ ଦେଖାଯାଉନାହିଁ। ଏବକାର ଜୋତାରେ ଲୁହାପାତିଆ ଓ ଛତାରେ ଲୁହାବେଣ୍ଟ ଲାଗିବା ଏବଂ ଘର ନିର୍ମାଣ ବେଳେ ବ୍ୟବହୃତ ହେଉଥିବା ଛଡ଼କୁ ଉପଯୁକ୍ତ ଭାବେ କଂକ୍ରିଟ ଭିତରେ ନ ରଖି ବାହାରେ ଖୋଲା ଛାଡ଼ିଦେବା ଭଳି କାର୍ଯ୍ୟ ହୁଏତ ବଜ୍ରପାତକୁ ଆକର୍ଷଣ କରୁଥାଇପାରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା, ଝାଡ଼ଖଣ୍ଡ, ଦକ୍ଷିଣ ପଶ୍ଚିମବଙ୍ଗରେ ବଜ୍ରପାତ ଯୋଗୁ ହେଉଥିବା ମୃତ୍ୟୁ ସ୍ପଷ୍ଟ ଦର୍ଶାଉଛି ଯେ,ଏହି ଭୌଗୋଳିକ ଅଞ୍ଚଳ ପ୍ରତି ଅଧିକ ବିପଦ ରହିଛି। ମାନଚିତ୍ରରେ ଏହିସବୁ ରାଜନୈତିକ ସୀମା ଅନୁଯାୟୀ ଅଞ୍ଚଳକୁ ବିଭିନ୍ନ ରାଜ୍ୟ ଭାବେ ଭାଗ କରାଯାଇଛି। କିନ୍ତୁ ତାହା ମନୁଷ୍ୟକୃତ ହୋଇଥିବାରୁ ବଜ୍ରପାତ ଭଳି ପ୍ରାକୃତିକ ଘଟଣା ଉପରେ କୌଣସି ପ୍ରଭାବ ପକାଏ ନାହିଁ। ତେଣୁ ଏହି ଅଞ୍ଚଳ ଉପରେ ଅଧିକ ଗବେଷଣା କରାଯିବାର ପ୍ରୟୋଜନ ଦେଖାଦେଇଛି ଏବଂ ସେଥିରୁ ସୁରକ୍ଷିତ ରହିବାର ପ୍ରଣାଳୀ ଜନସାଧାରଣଙ୍କୁ ଜଣାଇବା ଦରକାର।

Leave a Reply

Your email address will not be published. Required fields are marked *