ମଧ୍ୟାହ୍ନଭୋଜନ ବନ୍ଦ, ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଗଣିଆ ( ମନୋଜ ମଳିକ) – ନୟାଗଡ ଜିଲ୍ଲା ଗଣିଆ ବ୍ଳକ ଆଡକଟା ପଞ୍ଚାୟତ ଜଗନ୍ନାଥ ପ୍ରସାଦ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବସନ୍ତ କୁମାର ଦାଶ ଶନିବାର ସ୍କୁଲରେ ପହଞ୍ଚିବା ପରେ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଆବଶ୍ୟକୀୟ ରନ୍ଧନ ଗ୍ୟାସ ଶେଷ ହୋଇଯାଇଥିଲା । ସ୍କୁଲର ରୋଷେୟା ଏ ନେଇ ଦୁଇ ଦିନ ତଳୁ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ତେବେ ବିଦ୍ୟାଳୟର ସଭାପତି ଏ ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ବିଦ୍ୟାଳୟକୁ ଆସି ପ୍ରଧାନଶିକ୍ଷକଙ୍କୁ ଏ ସମ୍ପର୍କରେ ପଚାରିବା ପରେ ସେ ଗ୍ରାମବାସୀଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଶିକ୍ଷକଙ୍କ ନାମରେ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ଅଭିଭାବକ ମାନେ ଲମ୍ବା ତାଲିକା ପ୍ରଦାନ କରିଥିଲେ । ବିଦ୍ୟାଳୟର ଅନେକ ଟଙ୍କା ହଡ଼ପ କରିବା, ମଧ୍ୟାହ୍ନଭୋଜନ ଠିକରେ ନଦେବା, ଛାତ୍ରୀ ମାନଙ୍କୁ ଅସଦାଚରଣ କରିବା,ଅନେକ ଲୋକଙ୍କ ଠାରୁ ଧାର ନେଇ ଟଙ୍କା ନଶୁଝିବା, ବିଦ୍ୟାଳୟରେ ଅନେକ ସମୟରେ ଅନୁପସ୍ଥିତ ରହିବା ଭଳି ଅଭିଯୋଗ ଶୁଣିବା ପରେ ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କୁ ସ୍କୁଲରୁ ବାହାରକୁ ଆଣି ତାଲା ପକାଇ ଦେଇଥିଲେ । ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ । ବ୍ଳକ ଶିକ୍ଷା ଅଧିକାରୀ ସେମାନଙ୍କୁ ବୁଝାସୁଝା କରି ସୋମବାର ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀଙ୍କ ବିକ୍ଷୋଭ ଥମିଥିଲା । ଯଦି ଉକ୍ତ ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଥାଏ ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *