ଭୃଣ

ବିଶ୍ୱେଶ୍ୱର ମାଝୀ

ସରକାରୀ ଡାକ୍ତରଖାନାର ସୋନୋଲୋଜି ରୁମ୍ ବାହାରେ ଡାକ ପଡିଲା ସୁନୀତା ବେହେରାଙ୍କୁ। ସୁନୀତା କୋଳରେ ଦୁଇ ବର୍ଷର ଝିଅ ସାଙ୍ଗରେ ଆଣିଛନ୍ତି। ବଡ ଝିଅ ଟିକେ ବୁଝିବାର ହେଲାଣି, ଘରେ ଛାଡି ଆସିଛନ୍ତି। ଝିଅକୁ ବଡ ସନ୍ତର୍ପଣରେ ଶାଶୁଙ୍କ ପାଖରେ ବସାଇ ପାଦକୁ ଘୋଷାରି ଘୋଷାରି ଭିତରକୁ ପାଦ ବଢାଇଲା। ଛାତି ଧଡଧଡ କରୁଛି, କାରଣ ଶାଶୁଙ୍କ କଡା ନିର୍ଦ୍ଦେଶ, “ଦେଖ ମୋର ଗୋଟିଏ ବୋଲି ପୁଅ। ବଂଶରକ୍ଷା ପାଇଁ ଏଥର ପୁଅ ଦରକାର। ତୁ ଡାକ୍ତରଙ୍କ ଠାରୁ ବୁଝିବୁ, ପିଲାଟି ପୁଅ ନା ଝିଅ।” ପ୍ରକୃତରେ ରୁଟିନ ଚେକଅପ୍ ପାଇଁ ସୁନୀତା ଆସିଛି ସିନା, ସ୍ୱାମୀ ଚିହ୍ନା ପରିଚୟ ଖୋଜିବାରେ ବ୍ୟସ୍ତ କିଏ ଡାକ୍ତରଙ୍କୁ ଧରି କିଛି ପଇସା ବଦଳରେ ଭୃଣର ଲିଙ୍ଗ କହିଲେ, ସେ ପିଲା ରଖିବେ କି ନଷ୍ଟ କରିବେ ସ୍ଥିର କରିବାକୁ ହେବ। କିନ୍ତୁ ବିଫଳ ହୋଇ ସୁନୀତାକୁ ବହୁ ଧମକାଇ ପଠାଇଛନ୍ତି।

ଡାଃ ଅନୁରାଧା ଦାଶ ରୋଗୀକୁ ଖଟିଆରେ ଶୋଇବାକୁ ନିର୍ଦ୍ଦେଶ ଦେଲାପରେ ରୁମ୍ ବନ୍ଦ କରିଦିଆଗଲା। ସୁନୀତା ଆଖିରୁ ଅନବରତ ଝରୁଥାଏ ଲୁହ। ଡାକ୍ତର କମ୍ପ୍ୟୁଟର ଉପରେ ଧ୍ୟାନ ରଖି କହିଲେ, “ପିଲା ତ ଠିକ୍ ଅଛି, ଏମିତି କାନ୍ଦୁଛ କାହିଁକି ? ଏଇଟିତ ପ୍ରଥମ ନୁହେଁ, ଜଣା ଅଛି କଷ୍ଟ ହୁଏ। ହଁ, ଆରପଟକୁ ବୁଲି ଯାଅ।” ସୁନୀତା ଉତ୍ତର ଦେଲା, “ଗର୍ଭ କଷ୍ଟକୁ କିଏ ଡରୁଛି ମାମ୍, ନାରୀ ଜନ୍ମ ତ ସେଥିପାଇଁ। ପିଲା ପେଟରେ ଯେତେବେଳେ ଖେଳେ ବା ଗୋଇଠା ମାରେ, କଷ୍ଟ ସତ୍ତ୍ୱେ ସେ ଆନନ୍ଦ ଶବ୍ଦରେ କହି ହେବନି। ମୋର ଦୁଇଝିଅ ପରେ ଏ ତୃତୀୟ ପିଲାଟି ପୁଅଟିଏ ନହେଲେ ମୋ ଉପରେ ନିର୍ଯ୍ୟାତନା ଆହୁରି ବଢିଯିବ। ହୁଏତ ମତେ ଘରୁ କାଢିଦେବେ। ମୁଁ ଗୋଡଧରି ନେହୁରା ହେଉଛି ମାମ୍, ଦୟାକରି ଟିକେ ଲିଙ୍ଗ କହି ଦିଅନ୍ତୁ।”

ଡାକ୍ତରଙ୍କ ନିରାଶ ବାଣୀ, “ଦେଖ, ତୁମ ସ୍ବାମୀ ମତେ ଲାଞ୍ଚ ଦେବାର ଚେଷ୍ଟା ମଧ୍ଯ କରିଛନ୍ତି। କିନ୍ତୁ ସରକାରୀ ନିର୍ଦ୍ଦେଶ ଫଳକ ବାହାରେ ଝୁଲୁଛି, ପଢିଥିବ। ଲିଙ୍ଗ ନିରୂପଣ ଦଣ୍ଡନୀୟ ଅପରାଧ। ତା ଛଡା ତୁମରି ପରି ମୁଁ ମଧ୍ଯ ଦୁଇଟି ଝିଅର ମାଆ। ମୁଁ ତ ଚାହିଁଥିଲେ ଗର୍ଭ ନଷ୍ଟ କରି ପାରିଥାନ୍ତି ! ତୁମକୁ ମୁଁ କିପରି ସାହାଯ୍ଯ କରି ଅଧର୍ମର ସାଥି ହେବି !! ମୋର ତ ଡାକ୍ତର ଭାବରେ ଧର୍ମ ଅଛି ନା।”

ସୁନୀତା ଏଥର ବହୁତ ଜୋରରେ କାନ୍ଦିବାକୁ ଲାଗିଲା। ଡାକ୍ତରଙ୍କ ହାତ ଅଟକି ଗଲା କାମରୁ। ସେ ଅନ୍ୟମନସ୍କ ହୋଇ ପଡିଲେ ସୁନୀତାର ଦୁଃଖରେ। ଭାବୁଥାନ୍ତି କେବେ ଆଉ ସମାଜର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହେବ ? କେବେ ସେ ଗର୍ଭ ପରୀକ୍ଷା କରୁକରୁ ଉଲ୍ଲାସରେ ଗର୍ଭଧାରୀ ମାଆଟିକୁ କହିପାରିବେ, “କଂଗ୍ରାଚୁଲେସନ୍, ତୁମେ ଗୋଟିଏ କନ୍ୟା ସନ୍ତାନର ମାଆ ହେବାକୁ ଯାଉଛ।” ଆସିଷ୍ଟାଣ୍ଟ ମାନେ ସୁନୀତାକୁ ବାହାରକୁ ପଠାଇ ପରବର୍ତ୍ତୀ ପେଟେଣ୍ଟର ନାମ ଡାକିବାରୁ ସେ ସଚେତନ ହେଲେ।

(କନ୍ୟା ଦିବସ ଉପଲକ୍ଷେ)

Leave a Reply

Your email address will not be published. Required fields are marked *