ଭୁବନେଶ୍ୱର : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ଓ ୬ଜଣ ଗୁରୁତର ହୋଇଥିବା ଘଟଣାକୁ ନେଇ ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ ପୂର୍ବ ସରକାରଙ୍କ ୧୨ ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ।ବର୍ତ୍ତମାନ ବିଜେପି ସରକାର ବିନା କାରଣରେ ଗରିବ ଆଦିବାସୀଙ୍କ ଚାଉଳକୁ ବନ୍ଦ କରିଛନ୍ତି। ସେମାନେ ଆମ୍ବ ଟାକୁଆ ଜାଉ ଖାଉଛନ୍ତି, ଯାହା ବହୁତ ଦୁଃଖର କଥା।
ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାଜ୍ୟ ସରକାରଙ୍କୁ ଘେରିବା ସହ ବିଜେଡି ସରକାର ଆରମ୍ଭ କରିଥିବା ବିକାଶ ମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା ବୋଲି ପ୍ରକାଶ କରିଛନ୍ତି।
ଏଭଳି ସ୍ପର୍ଶକାତର ଘଟଣାରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ବିଜେଡି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଦାୟିତ୍ବହୀନ ମନ୍ତବ୍ୟ ଲାଗି ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗିବାକୁ ବିଜେଡି ଦାବି କରିଛି। କନ୍ଧମାଳ ଭଳି ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ ସୁବିଧା ଠିକ ଭାବେ ମିଳୁନଥିବାବେଳେ ହିତାଧିକାରୀ ଇ-କେୱାଇସି କେମିତି ପୂରଣ କରିବେ ବୋଲି ପ୍ରଶ୍ନ କରି ସେ କହିଛନ୍ତି ଯେ ଏହାକୁ ଆଳ କରି ଚାଉଳ ନ ଦିଆଯିବା ଗଭୀର ଉଦବେଗର ବିଷୟ।
ଘରେ ଗଣ୍ଡେ ଚାଉଳ ନ ଥିଲେ ଆମ୍ବ ଟାକୁଆ ଜାଉ ସେମାନଙ୍କ ବିକଳ୍ପ ହୋଇଯାଉଛି ଏବଂ ସେଥିପାଇଁ ସରକାର ସମ୍ପୂର୍ଣ୍ଣ ଦାୟି ବୋଲି ମତ ଦେବା ସହ ଜିଲାପାଳଙ୍କ ଠାରୁ ଆମ୍ଭ କରି ପିଡିଏସ ବ୍ୟବସ୍ଥାରେ ଜଡ଼ିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।












Leave a Reply