୨୦ ତାରିଖରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ

ଭୁବନେଶ୍ୱର – ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ। ନଭେମ୍ବର ୨୨ରେ ସମ୍ବଲପୁର ଏବଂ ପରେ ସବୁ ଜିଲ୍ଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ୧୫ ତାରିଖରୁ ଚାଷୀଙ୍କୁ ଟୋକନ୍ ଦିଆଯିବ ଏବଂ ନଭେମ୍ବର ୨୦ରୁ ଡିସେମ୍ବର ୭ ଯାଏଁ ଧାନ ସଂଗ୍ରହ ଚାଲିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP କୁଇଣ୍ଟାଲ ପିଛା ୨୩ଶହ ଟଙ୍କା ପ୍ରଦାନ କରାଯିବ। ଡିସେମ୍ବର ୮ ଠାରୁ ୨୩ଶହ ଟଙ୍କା ସହିତ ଅତିରିକ୍ତ ୮ଶହ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରଦାନ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପଡୋଶୀ ରାଜ୍ୟ ସହିତ ଲାଗି ରହିଥିବା ଜିଲ୍ଲା ଗୁଡିକରେ ଯେପରି ବାହାର ରାଜ୍ୟର ଧାନ ନ ପଶିବ, ସେଥିପ୍ରତି ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ ଭାବେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୀମାବର୍ତ୍ତୀ ଅଞ୍ଚଳରେ କ୍ୟାମେରା ସଂଯୁକ୍ତ ଥିବା ଯାନ ମାଧ୍ୟମରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଏବଂ  ମଣ୍ଡିମାନଙ୍କରେ ସିସିଟିଭି ଲଗାଇବା ଓ କଟନି-ଛଟନି କୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ନିଜ ନିଜ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାପାଳମାନେ ମଧ୍ୟ ଜିଲ୍ଲା ସ୍ତରରେ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ଆଲୋଚନାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *