ଭାଇର ହାତରେ ଭଉଣୀ ରାକ୍ଷୀ ବିଶ୍ୱାସର ଅଟେ ସେ ମୂକ ସାକ୍ଷୀ

**ଗୋବିନ୍ଦ ବେହେରା ***

ଭାଇ ଭଉଣୀଙ୍କ ପବିତ୍ର ବନ୍ଧନେ
ରାକ୍ଷୀ ଏକା ମୂକ ସାକ୍ଷୀ,
ଭାଇର ହାତରେ ଭଉଣୀ ବାନ୍ଧଇ
ସେନେହ ର ସେତ ରାକ୍ଷୀ l

ଭାଇର ସୁରକ୍ଷା ଭଉଣୀ ର ରକ୍ଷା
କରି ଥାଏ ଏହି ରାକ୍ଷୀ,
କଥା ଦିଏ ଭାଇ ଛାଇ ପରି ଥିବ
ଭଉଣୀ ତା ସୁନା ନାକି l

ହୀରା ଲୀଳା ମୋତି କିଛି ଲୋଡ଼ା ନାହିଁ
ଲୋଡ଼ା ତାର ଏକା ଭାଇ,
ଭାଇ ଥିଲେ ପାଖେ ସ୍ଵର୍ଗ ଖୁସି ମିଳେ
ବିପଦ ଯାଏ ଦୁରେଇ l

ବଡ଼ ଦେଉଳରେ ଭଉଣୀ ସୁଭଦ୍ରା
ବାନ୍ଧି ଥାଏ ପୁଣି ରାକ୍ଷୀ,
ଏପାଖେ ବଳିଆ ସେପାଖେ କାଳିଆ
ମଝିରେ ଯେ ଚନ୍ଦ୍ର ମୁଖୀ l

ଭାଇ ଭଉଣୀଙ୍କର ପରମ୍ପରା ଏତ
ପବିତ୍ର ରକ୍ଷା ବନ୍ଧନ,
ବଳ ଦେବ ଜନ୍ମ ଗହ୍ମା ପୂର୍ଣ୍ଣିମା
ଉଲସିତ ସର୍ବ ମନ l

ଶ୍ରୀକୃଷ୍ଣ ହାତରେ ମାତା କୁନ୍ତୀ ପୁଣି
ବାନ୍ଧି ଥିଲେ ସ୍ନେହ ଡୋରି ,
ରହିଛି ପ୍ରମାଣ ପୁରାଣ ପୃଷ୍ଠାରେ
ପ୍ରଭୁ ନେଲେ ଦୁଃଖ ହରି l

ରାକ୍ଷୀ ବାନ୍ଧି ମା ମହା ଲକ୍ଷ୍ମୀ ପୁଣି
ପ୍ରଭୂଙ୍କୁ ଉଦ୍ଧାର କଲେ,
ଇନ୍ଦ୍ରାଣୀ ରାକ୍ଷୀର ମାନ ରଖି ଇନ୍ଦ୍ର
ସ୍ଵର୍ଗ ପୁର ଜୟ କଲେ l

ଗୁରୁ ସଭାତଳେ ପାଞ୍ଚାଳୀ ଡାକରେ
କୋଟି ବସ୍ତ୍ର ପ୍ରଭୁ ଦେଲେ,
ପାଟ ବସ୍ତ୍ର ଚିରି ବାନ୍ଧି ଥିଲେ ବୋଲି
ଲଜ୍ୟାତା ନିବାରଣ କଲେl

ରାକ୍ଷୀ ପରମ୍ପରା ଉତ୍କଳ ଭୁଇଁରେ
ରହି ଅଛି ଚିର କାଳ,
ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ
ସଂସ୍କୃତି ର ଆମ ବଳ l

ଡାଙ୍ଗମାଳ, କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *