ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗର ରିପୋର୍ଟ ଆସିବାର ଦିନକ ପରେ ରବିବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏଥିଯୋଗୁ ପ୍ରଧାନମନ୍ତ୍ରୀ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତକୁ ଭୟ କରୁଛନ୍ତି। ଭିଡିଓରେ କଂଗ୍ରେସ ନେତା ରାହୁଲ ଆହୁରି କହିଛନ୍ତି, ଛୋଟ ନିବେଶକମାନଙ୍କ ଧନର ସୁରକ୍ଷା ଦାୟିତ୍ୱରେ ଥିବା ସେବିର ମୁଖ୍ୟ ମାଧବୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିବା ପରେ ନିୟାମକ ସଂସ୍ଥାର ବିଶ୍ୱସନୀୟତା କମିବାରେ ଲାଗିଛି। ମାଧବୀ ବର୍ତ୍ତମାନ ଯାଏ କାହିଁକି ସେବି ମୁଖ୍ୟ ପଦରୁ ଇସ୍ତଫା ଦେଇନାହାନ୍ତି, ତାହା ଦେଶର ନିବେଶକମାନେ ଜାଣିବାକୁ ଚାହୁଁଛନ୍ତି। ନିଜ ଏକ୍ସ ହ୍ୟାଣ୍ଡଲରେ ଏକ ଭିଡିଓ ପୋଷ୍ଟ କରି ରାହୁଲ କହିଛନ୍ତି, ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ଆସିଥିବା ଅଭିଯୋଗ ଚିନ୍ତାଜନକ। ବଜାର ନିୟାମକ ସଂସ୍ଥା ସେବିର ସଚ୍ଚୋଟତା ସହ ସାଲିସ କରାଯାଇଛି। ଯଦି ନିବେଶକ ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ହରାଇବେ, କାହାକୁ ଉତ୍ତରଦାୟୀ କରାଯିବ। ପ୍ରଧାନମନ୍ତ୍ରୀ ମୋଦି, ସେବି ମୁଖ୍ୟ ମାଧବୀ ନା ଗୌତମ ଆଦାନୀ। କିଏ ଦାୟୀ ହେବେ? ହିଣ୍ଡେନ୍‌ବର୍ଗ-୨.୦ରେ ଅଧିକ ଗମ୍ଭୀର ବିଷୟ ପ୍ରଘଟ ହୋଇଥିବାରୁ ସୁପ୍ରିମକୋର୍ଟ ଏହାକୁ ସଜ୍ଞାନକୁ ନେଇ ନିଜଆଡୁ ମାମଲା ରୁଜୁ କରିବେ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *