ଆଜି କାର୍ତ୍ତିକ ମାସର ଶେଷ ସୋମବାର : ବିଭିନ୍ନ ଶୈବ ପୀଠରେ ପ୍ରବଳ ଭିଡ

ଭୁବନେଶ୍ବର : ଆଜି କାର୍ତ୍ତିକ ମାସର ଶେଷ ସୋମବାର। ଏଥିଲାଗି ସକାଳୁ ସକାଳୁ ଆଠଗଡର ବାବା ଧବଳେଶ୍ଵରଙ୍କ ପୀଠ ସମେତ ରାଜ୍ୟର ସମସ୍ତ ଶୈବ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ଭକ୍ତମାନେ ଲମ୍ବା ଧାଡିରେ ଯାଇ ବାବାଙ୍କ ଆଶିଷ ନେଉଛନ୍ତି । ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।  ପଞ୍ଚୁକ ୪ ଦିନରେ ଭିନ୍ନ ଭିନ୍ନ ବେଶରେ ବାବା ଧବଳେଶ୍ଵର ଦର୍ଶନ ଦେବେ ।

ଆଜି ଭୋର ୪ଟାରୁ ମନ୍ଦିରର ପହଡ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯିବା ପରେ ମଙ୍ଗଳଆଳତୀ, ମଇଲମ୍‌‌, ବାଳଭୋଗ ଆଦି ନୀତିକାନ୍ତି ସମ୍ପନ୍ନ ହୋଇଛି। କାର୍ତ୍ତିକ ସୋମବାରରେ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି। ଏଥିପାଇଁ କାର୍ତ୍ତିକ ମାସ ସାରା ଓଡିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ।

ସେହିପରି ନୟାଗଡ଼ ଜିଲାର ଲଡୁବାବା ଏବଂ ପୁରୀର ଲୋକନାଥଙ୍କ ପୀଠରେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଶରଣକୂଳରେ ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *