ଢାକା: ବାଂଲାଦେଶରେ ପୁଣି ଥରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଛି। ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିଅସ୍ନେସ୍ (ଇସ୍କନ)କୁ ଏକ ଆତଙ୍କବାଦୀ ସଂଗଠନ ବୋଲି ଦର୍ଶାଇ ସୋସିଆଲ ମିଡିଆରେ ହୋଇଥିବା ପୋଷ୍ଟକୁ ନେଇ ବନ୍ଦର ସହର ଚିଟ୍ଟାଗଙ୍ଗରେ ବୁଧବାର ଠାରୁ ହିଂସା ଆରମ୍ଭ ହୋଇଛି। ହିଂସାରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଅନେକ ଆହତ ହୋଇଛନ୍ତି।
ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ସେନା, ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ମୁତୟନ କରାଯାଇଛି। ଇସ୍କନ ବିରୋଧୀ ସୋସିଆଲ ମିଡିଆ ପୋଷ୍ଟକୁ ହିନ୍ଦୁମାନେ ବିରୋଧ କରିଛନ୍ତି। ଚିଟ୍ଟାଗଙ୍ଗର ହଜାରି ଗଳି ଏକ ହିନ୍ଦୁ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକୁ ନିୟନ୍ତ୍ରଣ ପାଇଁ ସୁରକ୍ଷାବାହିନୀ ଲାଠିମାଡ କରିଥିବାବେଳେ ବିକ୍ଷୋଭକାରୀମାନେ ମଧ୍ୟ ପାଲଟା ଆକ୍ରମଣ କରିଛନ୍ତି।
ବିକ୍ଷୋଭକାରୀମାନେ ସୁରକ୍ଷା ବାହିନୀ ଉପରକୁ ଏସିଡ୍ ଓ ଭଙ୍ଗା କାଚ ବୋତଲ ଫିଙ୍ଗିବାରୁ ୧୨ଜଣ ଆହତ ହୋଇଛନ୍ତି। ସେନା ଅଧିକାରୀଙ୍କ କହିବା ଅନୁଯାୟୀ ମିଳିତ ବାହିନୀ ପକ୍ଷରୁ ଚଢଉ କରାଯାଇ ୮୦ଜଣଙ୍କୁ ଅଟକ ରଖାଯାଇଛି। ଅନ୍ୟପଟେ ଚିଟ୍ଟାଗଙ୍ଗରେ ଦେଖାଯାଇଥିବା ହିଂସାକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି। ଗୁରୁବାର ଭାରତର ବୈଦେଶିକ ମନ୍ତ୍ରଣାଳୟ ହିଂସାକୁ ନିୟନ୍ତ୍ରଣ କରିବା ସହିତ ହିନ୍ଦୁଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବାଂଲାଦେଶ ସରକାରଙ୍କୁ ନିବେଦନ କରିଛନ୍ତି।
ମହମ୍ମଦ ୟୁନୁସଙ୍କ ନେତୃତ୍ବ ଅନ୍ତରୀଣ ସରକାର ଏବେ ଦେଶର ଶାସନ କାର୍ଯ୍ୟ ପରିଚାଳନା କରୁଛି। ୟୁନୁସଙ୍କ ସରକାର ହିନ୍ଦୁ ବିରୋଧୀ ମନୋଭାବ ପ୍ରଦର୍ଶନ କରିଆସୁଛି।
Leave a Reply