ଭୁବନେଶ୍ୱର ରାଜାରାଣୀ ମୌଜା ଆର୍ଯ୍ୟବିହାରରେ ରହିଛି ଇଡକୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂଙ୍କ ଅତ୍ୟାଧୁନିକ ୪ ମହଲା କୋଠା । ୪ ମହଲା କୋଠାର ଛାତ ଉପରେ ଲାଗିଛି ୱାଟର୍ ସପ୍ଲାଏ ସିଷ୍ଟମ । ପ୍ୟୁରିଫାୟାର ସହ ଲାଗିଛି ସେଣ୍ଟ୍ରାଲ୍ ଗିଜର୍ । ଅର୍ଥାତ କୋଠାର ଯେଉଁ ଟ୍ୟାପ୍ ବି ଖୋଲିବେ, ସେହି ଟ୍ୟାପରେ ଆସିବ ମିନେରାଲ୍ ୱାଟର୍ ସହ ଆବଶ୍ୟକ ମୁତାବକ ଥଣ୍ଡା କିମ୍ବା ଗରମ ପାଣି।
କେବଳ ଏତିକି ନୁହେଁ, ଲକର୍ ଖୋଲି ଚୋରି କରିବା ତ କୌଣସି ଚୋର ପାଇଁ ବି ସେତେ ସହଜ ହେବନି। କାରଣ ପାସୱାର୍ଡ ପ୍ରୋଟେକ୍ଟେଡ୍। ଖୋଲିଲା ବେଳକୁ କମ୍ ନାକେଦମ୍ ହୋଇନି ଭିଜିଲାନ୍ସ ଟିମ୍। ଯେଉଁ ଲକରରୁ ୪ ଲକ୍ଷ ୫୦ ହଜାର ନଗଦ ଟଙ୍କା ସହ ବିପୁଳ ସୁନା ଗହଣାକୁ ଭିଜିଲାନ୍ସ ଜବତ କରିଛି। ପାସୱାର୍ଡ ମିଳୁନଥିବାରୁ ଏବେ ବି ଆଉ କିଛି ଲକର୍ ଖୋଲିପାରିନି।
ଆପଣ ଯୁଆଡ଼େ ଚାହିଁବେ, ଦେଖିପାରିବେ ଇମ୍ପୋର୍ଟେଡ୍ ସାମଗ୍ରୀ। କୋଠାରେ ଲାଗିଛି ୧୨ଟି AC ସହ ୩୨ଟି ଫ୍ୟାନ। ଗାଧୁଆଘରେରେ ଜାପାନ ଟେକ୍ନୋଲୋଜିର ଟାଇଲ୍ ଏବଂ ପ୍ୟାନ ଖଞ୍ଜାଯାଇଛି। ପ୍ରାୟ ୭ ହଜାର ୫ଶହ ସ୍କ୍ବାୟାର୍ ଫୁଟ୍ ପରିମିତି ଜାଗାରେ ଛିଡା ହୋଇଥିବା କୋଠାର ମୂଲ୍ୟ ୩ କୋଟି ୨୨ ଲକ୍ଷ ଟଙ୍କା ଆକଳନ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନସ ହାବୁଡ଼ରେ ପଡ଼ିଥିବା ବାବୁଙ୍କ ଧନ ସଂପତ୍ତିର ଆକଳନ ଏତିକିରେ ସରିନି। ଏକକାଳୀନ ୬ଟି ସ୍ଥାନରେ ଚଢାଉ କରି ପୁରୀରେ ଗୋଟିଏ ଫ୍ଲାଟ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ୩ଟି ଘର ଠାବ କରିଛି ଭିଜିଲାନ୍ସ।












Leave a Reply